କାହିଁକି ଏହାକୁ ଶୁଭ ଶୁକ୍ରବାର କୁହାଯାଏ?

କାହିଁକି ଏହାକୁ ଶୁଭ ଶୁକ୍ରବାର କୁହାଯାଏ?

କାହିଁକି ଶୁଭ ଶୁକ୍ରବାର?

ଜଣେ ଉତ୍ତମ ବ୍ୟକ୍ତି ଯିଏ ତାଙ୍କ ଜୀବନରେ କେବଳ ଉତ୍ତମ କର୍ମ କରିଛନ୍ତି, ଈର୍ଷାପରାୟଣ ଲୋକମାନଙ୍କ ଦ୍ୱାରା ତାଙ୍କୁ ହତ୍ୟା କରାଯାଇଥିଲା । ସାଧାରଣ ଭାବରେ ଏହାକୁ ଦୁଃଖଦ ଦିନ କୁହାଯିବା ଉଚିତ୍, ଠିକ୍? କିନ୍ତୁ ତଥାପି, ଲୋକମାନେ ଏହାକୁ ‘ଶୁଭ ଶୁକ୍ରବାର’ ବୋଲି ଡାକନ୍ତି । କାହିଁକି? ସେ ବିଷୟରେ ଏତେ ଭଲ କ’ଣ? ହୁଏତ ଏହି ପ୍ରଶ୍ନଗୁଡିକ ଆପଣଙ୍କ ମନରେ ଉଙ୍କି ମାରିଥିଲା। ହଁ, ଏହା ପଛରେ ଏକ କାରଣ ଅଛି । ଏହି ଅନୁଛେଦରେ ଆମେ ଦେଖିବା ଶୁକ୍ରବାରକୁ “ଶୁଭ ଶୁକ୍ରବାର” କାହିଁକି କୁହାଯାଏ?

ଶୁଭ ଶୁକ୍ରବାର ଦିନ କ’ଣ ହେଲା?  

ଶୁଭ ଶୁକ୍ରବାର ଦିନ ଈଶ୍ଵରଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ବନ୍ଦୀ, ବିଚାର ଏବଂ କ୍ରୁଶବିଦ୍ଧ ଦିନ ଭାବରେ ସ୍ମରଣ କରାଯାଏ । ବାଇବଲ ଅନୁଯାୟୀ, ଶୁକ୍ରବାର ଦିନ ଯୀଶୁଙ୍କୁ କ୍ରୁଶରେ ହତ କରାଯାଇଥିଲା ଏବଂ ତାଙ୍କ ମୃତ୍ୟୁ ଜଗତର ପାପ ପାଇଁ ପ୍ରାୟଶ୍ଚିତ ସ୍ଵରୁପ ଥିଲା, ତାହାଙ୍କୁ ବିଶ୍ୱାସ କରୁଥିବା ସମସ୍ତଙ୍କ ପାଇଁ ସେ ପରିତ୍ରାଣ ଏବଂ ଅନନ୍ତ ଜୀବନ ପାଇଁ ପଥ ପରିଷ୍କାର କରିଛନ୍ତି। ଏହା ସାଧାରଣତ ଇଷ୍ଟର୍ ରବିବାର ସହିତ ପାଳନ କରାଯାଏ, ଯାହା ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁରୁ ପୁନରୁତ୍ଥାନକୁ ପାଳନ କରାଯାଏ । ଏହା “ପବିତ୍ର ଶୁକ୍ରବାର” ବା “ମହାନ ଶୁକ୍ରବାର” ଭାବରେ ମଧ୍ୟ ଜଣାଶୁଣା ।

ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁ ଏକ ଆକସ୍ମିକ ମୃତ୍ୟୁ ନଥିଲା । ସେହି ମୃତ୍ୟୁରେ ଏକ ଉଦ୍ଦେଶ୍ୟ ଥିଲା । ସେ ମରିବା ପାଇଁ ଜନ୍ମ ହୋଇଥିଲେ। ମନୁଷ୍ୟ ସମ୍ମୁଖୀନ ହୋଇଥିବା ସବୁଠୁ ବଡ ସମସ୍ୟାର ସମାଧାନ ପାଇଁ ସେ ମୃତ୍ୟୁ ବରଣ କଲେ – ପାପର ସମସ୍ୟା ।

କୌତୁହଳପୂର୍ଣ୍ଣ ମନେହୁଏ, ଠିକ୍? ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁ କିପରି ପାପର ସମସ୍ୟାର ସମାଧାନ କରିପାରିବ? ଏହା ଏକ ରୋମାଞ୍ଚକର କାହାଣୀ ଅଟେ ।ଏହା ହେଉଛି ପ୍ରକୃତ ପ୍ରେମର କାହାଣୀ ଏବଂ ଏକ କାହାଣୀ ଯାହା ମନୁଷ୍ୟ ପ୍ରତି ଈଶ୍ବରଙ୍କ ପ୍ରେମର ମହାନତାକୁ ପ୍ରକାଶ କରେ ।

ଶୁଭ ଶୁକ୍ରବାର ପଛର କାରଣ ।

ବାଇବଲ ଏକ ସର୍ବଶକ୍ତିମାନ ଈଶ୍ଵରଙ୍କ ବିଷୟରେ ପ୍ରକାଶ କରେ ଯିଏ ପବିତ୍ରତାକୁ ତାଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗୁଣ ବୋଲି ବିବେଚନା କରନ୍ତି । ସେ ଜଣେ ଧାର୍ମିକ ପରମେଶ୍ୱର, ସେ ପାପକୁ ଘୃଣା କରନ୍ତି। ସେ ଅନ୍ୟାୟକୁ ସହ୍ୟ କରନ୍ତି ନାହିଁ ଏବଂ ସେ ପାପୀମାନଙ୍କୁ ଦଣ୍ଡ ନଦେଇ ଛାଡ଼ିବେ ନାହିଁ । “ପାପର ବେତନ ମୃତ୍ୟୁ ଅଟେ ”, ତାହା ହେଉଛି ପବିତ୍ର ଈଶ୍ବରଙ୍କ ବ୍ୟବସ୍ଥା । ସେ ମଧ୍ୟ ଜଣେ ଦୟାଳୁ ଈଶ୍ବର, ଯିଏ ପାପୀମାନଙ୍କୁ ଭଲ ପାଆନ୍ତି । ସେ ଚାହାଁନ୍ତି ନାହିଁ ଯେ ମନୁଷ୍ୟମାନେ ସେମାନଙ୍କର ପାପ ହେତୁ ମରନ୍ତୁ। ସେ ଚାହାଁନ୍ତି ଯେ ସେମାନେ ସମ୍ପୂର୍ଣ୍ଣ ଶାନ୍ତି ଏବଂ ଅନନ୍ତ ଜୀବନର ଉପଭୋଗ କରନ୍ତୁ । ଏହା କିପରି ସମ୍ଭବ? ଏହି ଦୁଇଟି ବିଷୟ ପରସ୍ପର ବିରୋଧୀ ଅଟେ, କଣ କେବେ ଏହା ପୂରଣ ହୋଇପାରିବ କି? କେବଳ ଗୋଟିଏ ବିକଳ୍ପ ଅଛି । ଜଣେ ପାପହୀନ ବ୍ୟକ୍ତି ପାପର ଦଣ୍ଡକୁ ନିଜ ଉପରେ ନେବାକୁ ପଡିବ, ଯାହାଫଳରେ ଯିଏ ଈଶ୍ବରଙ୍କ ଆଗରେ ଦୋଷୀ ଅଟନ୍ତି ସେମାନେ ମୁକ୍ତ ଭାବରେ ଚାଲି ପାରିବେ । କିନ୍ତୁ କଣ କେହି ଧାର୍ମିକ ଅଛନ୍ତି କି? ନା! “କାରଣ ସମସ୍ତେ ପାପ କରିଛନ୍ତି ଏବଂ ଈଶ୍ବରଙ୍କ ଗୌରବରୁ ବଞ୍ଚିତ ଊଣାପଡିଛନ୍ତି।” (ବାଇବଲ-ରୋମୀୟ ୩:୨୩) ।

ଈଶ୍ଵରଙ୍କ ମାନଦଣ୍ଡକୁ କେହି ପୂରଣ କରିପାରିବେ ନାହିଁ । ନିରାଶା, ଠିକ୍? କିନ୍ତୁ ଈଶ୍ବର, ଯିଏ ପାପୀ ମଣିଷ ପ୍ରତି ଥିବା ଗଭୀର ପ୍ରେମ ଏବଂ ଦୟାରେ ପରିପୂର୍ଣ୍ଣ ଅଟନ୍ତି । ଏକ ନିଆରା ଯୋଜନା ପ୍ରସ୍ତୁତ କଲେ । ସେ ଯୋଜନା ଏହା ଯେ ଈଶ୍ବର ନିଜେ ଏହି ପୃଥିବୀକୁ ମାନବ ରୂପରେ ଆସି ଏବଂ ସମଗ୍ର ଜଗତର ପାପ ନିମନ୍ତେ ଦଣ୍ଡ ଗ୍ରହଣ କରିବେ ।

ଶୁଭ ଶୁକ୍ରବାରର ଶୁଭ ସମ୍ବାଦJesus on the way to be crucified

ହଁ, ସେହି ଶୁକ୍ରବାର ଦିନ ଯୀଶୁ ଖ୍ରୀଷ୍ଟ ତାହା କରିଥିଲେ । ଈଶ୍ବରଙ୍କ ପୁତ୍ର ମାନବ ରୂପରେ ଏ ଜଗତକୁ ଆସିଥିଲେ, ଏବଂ ସେ ଜଣେ ସିଦ୍ଧ ମନୁଷ୍ୟ ଭାବରେ ଜୀବନ ଯାପନ କଲେ । ସେ ଆମର ପାପ ପାଇଁ କ୍ରୁଶରେ ଯନ୍ତ୍ରଣା ଭୋଗିଲେ ଏବଂ ମୃତ୍ୟୁ ବରଣ କଲେ । ଆମର ପାପର ଦଣ୍ଡ କାଲଭାରୀ କ୍ରୁଶରେ ସମ୍ପୂର୍ଣ୍ଣ ରୂପେ ପ୍ରଦାନ କଲେ ଯାହା ଦ୍ୱାରା ଆମେ, ପାପୀମାନେ ମୁକ୍ତ ଭାବରେ ଜୀବନ ଯାପନ କରି ପାରିବା। କେବଳ ସେତିକି ନୁହେଁ, ସେ ପାପ ଓ ମୃତ୍ୟୁକୁ ପରାସ୍ତ କରି ତୃତୀୟ ଦିନରେ ପୁନର୍ବାର ଉଠିଥିଲେ ଏବଂ ସେ ଆଜି ଆମ ନିମନ୍ତେ ଜୀବିତ ହୋଇଅଛନ୍ତି । ଏହା କଣ ଏକ ସୁନ୍ଦର ପ୍ରେମ କାହାଣୀ ନୁହେଁ କି?

ଆପଣ ଶୁଭ ଶୁକ୍ରବାରର ବାର୍ତ୍ତା ଗ୍ରହଣ କରିଛନ୍ତି କି?

ଶୁଭ ଶୁକ୍ରବାରକୁ ଏକ ପର୍ବ କିମ୍ବା ପରମ୍ପରା ଭାବରେ ଅନୁସରଣ କରିବା କେତେକ ଲୋକଙ୍କ ପାଇଁ ମହତ୍ଵପୂର୍ଣ ଅଟେ, ଏହି ଦିନର ଗଭୀର ଅର୍ଥ ହେଉଛି ଯୀଶୁ ଖ୍ରୀଷ୍ଟଙ୍କ ବଳିଦାନର ମହତ୍ତ୍ୱକୁ ଗ୍ରହଣ କରିବା ଏବଂ ବିଶ୍ୱାସ କରିବା । ଶୁକ୍ରବାର ଦିନ ଯୀଶୁ ଯାହା କରିଛନ୍ତି ତାହା ଗ୍ରହଣ କରିବା ଏବଂ ବିଶ୍ୱାସ କରିବା ଅର୍ଥ ହେଉଛି ତାଙ୍କ କୃଶୀୟ ମୃତ୍ୟୁକୁ ଜଗତର ପାପ ପାଇଁ ମୁକ୍ତିର କାର୍ଯ୍ୟ ଭାବରେ ସ୍ୱୀକାର କରିବା ।ତାଙ୍କ ମୃତ୍ୟୁ ମାଧ୍ୟମରେ, ଯୀଶୁ ସେହି ଦଣ୍ଡ ଗ୍ରହଣ କଲେ ଯାହା ମନୁଷ୍ୟମାନେ ସେମାନଙ୍କର ପାପ ପାଇଁ ଯୋଗ୍ୟ ଅଟନ୍ତି, ଏବଂ ମୃତ୍ୟୁ ଦ୍ୱାର ସେ ମନୁଷ୍ୟମାନଙ୍କୁ ଈଶ୍ଵରଙ୍କ ସହିତ ଶାନ୍ତି ସ୍ଥାପନ କଲେ ।

ପ୍ରିୟ ବନ୍ଧୁ, ଏହା ହେଉଛି ଶୁଭ ଶୁକ୍ରବାର ପଛରେ ଥିବା ପ୍ରକୃତ କାହାଣୀ । ଏହା ପ୍ରକୃତରେ ଏକ ଶୁଭ ଶୁକ୍ରବାର ଥିଲା କାରଣ ସେଦିନ ଯୀଶୁ ଖ୍ରୀଷ୍ଟ ଆମ ଅନନ୍ତ ମଙ୍ଗଳ ପାଇଁ ମୃତ୍ୟୁ ଭୋଗ କଲେ। ଏହି ଜୀବନରେ ଥିବା ଅନ୍ୟ ସମସ୍ତ ଭଲ ଜିନିଷ ଏବଂ ଭଲ ସମୟ ଆମ ମୃତ୍ୟୁ ସହିତ ଶେଷ ହେବ । କିନ୍ତୁ, ଯଦି ଆପଣ ନିଜର ହୃଦୟରେ ବିଶ୍ୱାସ କର ଯେ ପ୍ରଭୁ ଯୀଶୁ ଆପଣଙ୍କ ପାପ ପାଇଁ ମଲେ ଏବଂ ସେ ତୃତୀୟ ଦିନରେ ପୁନରୁତ୍ଥିତ ହୋଇଅଛନ୍ତି, ଆପଣଙ୍କ ସମସ୍ତ ପାପ କ୍ଷମା ହେବ ଏବଂ ଆପଣ ତାଙ୍କର ସନ୍ତାନ ହେବେ । ଆଜି ଆପଣ ତାଙ୍କୁ ଆପଣଙ୍କର ବ୍ୟକ୍ତିଗତ ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରିବେ କି?